Sponsor

header ads

ପ୍ରଥମ ଭାରତୀୟ ସ୍ଵାଧୀନତା ସଂଗ୍ରାମ - ସିପାହୀ ବିଦ୍ରୋହ ନୁହେଁ ପାଇକ ବିଦ୍ରୋହ

୧୮୧୭ ମସିହାରେ ଓଡିଶାରେ ସଂଗଠିତ ହୋଇଥିବା ପାଇକ ବିଦ୍ରୋହ ଥିଲା ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ବିତାଡିତ କରିବା ବିରୁଦ୍ଧରେ । ଭରତବର୍ଷରେ ୧୮୫୭ ମସିହାରେ ବ୍ରିଟିଶ ଶାସନ ବିରୁଦ୍ଧରେ ରାଣୀ ଲକ୍ଷ୍ମୀବାଇଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିବା ପ୍ରଥମ ସ୍ଵାଧୀନତା ସଂଗ୍ରାମର ଠିକ ୪୦ ବର୍ଷ ପୂର୍ବରୁ ଓଡିଶାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ପାଇକ ବିଦ୍ରୋହର ସୂତ୍ରପାତ ଘଟିଥିଲା । ଏହି ସୂତ୍ରପାତର କେନ୍ଦ୍ରବିନ୍ଦୁ ଥିଲା ଲାଲମାଟିର ଖୋରଧା ଗଡ । ଏହି ସଂଗ୍ରାମର ନିଆଁ ତତକାଳୀନ ଓଡିଶାର ସମଗ୍ର ଅଞ୍ଚଳକୁ ଦ୍ରୁତଗତିରେ ବ୍ୟାପିଯାଇଥିଲା । ଓଡିଆ ପାଇକ ମାନଙ୍କ ରଣ ହୁଙ୍କାରରେ ସେଦିନ ଭୟରେ ଥରି ଉଠିଥିଲା ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ । 
୧୮୦୩ ମସିହାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ସୈନ୍ୟ ମାନେ ଖୋରଧାକୁ ଅକ୍ତିଆର କରିନେଇ ତତକାଳୀନ ଖୋରଧା ଗଡର ରାଜାଙ୍କୁ ସିଂହାସନଚ୍ୟୁତ କରିବାପରେ ପାଇକ ଅଶାନ୍ତି ଖୁବ ତୀବ୍ର ରୂପ ଧାରଣ କରିଥିଲା । ବ୍ରିଟିଶ ଶାସନର ଅତ୍ୟାଚାରରେ ଅତ୍ୟନ୍ତ କ୍ଷୁବ୍ଦ୍ଧ ମନୋଭାବ ପୋଷଣ କରି ଆସୁଥିବା ପାଇକ ବୀର ମାନେ ଖୋରଧା ରାଜାଙ୍କ ପ୍ରତି ହୋଇଥିବା ଆକ୍ରମଣକୁ ସହଜରେ ଗ୍ରହଣ କରିପାରିନଥିଲେ । ଏହା ସମଗ୍ର ପାଇକ ଜାତି ତଥା ଓଡିଶାର ସମ୍ମାନ ଉପରେ ଆଘାତ ଆଣିଥିଲା । ତତକାଳୀନ ବ୍ରିଟିଶ କମିଶନର ୱାଲଟର ଏୱରଙ୍କ ନିର୍ଦ୍ଦେଶରେ ପାଇକ ମାନଙ୍କ ଠାରୁ ଜମି ଖଜଣା ସହିତ ଅନ୍ୟାନ୍ୟ କର ଆଦାୟ ନିମନ୍ତେ ନିର୍ଦ୍ଦେଶ ଜାରିକରିବା ସହ ଜମି ଗୁଡିକ ଉପରୁ ସମସ୍ତ ଅଧିକାର ମଧ୍ୟ ଛଡାଇ ନେଇଥିଲେ । ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ଅନ୍ୟାୟ ଶାସନ ବିରୁଦ୍ଧରେ କ୍ରମଶଃ ଅଶାନ୍ତି ତୀବ୍ରରୁ ତୀବ୍ରତର ହେବାରେ ଲାଗିଥିଲା ।
ଓଡିଶାରେ ବିଭିନ୍ନ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଦୃଶ୍ୟପଟ୍ଟ ଥିଲା ଏହି  ପାଇକ ବିଦ୍ରୋହର ମୂଳକାରଣ । ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ଵାରା ଭୂ-କର ଆଇନ ପ୍ରଚଳନ ପରେ ସାଧାରଣ ଜନତା ଓ ଜମିଦାରମାନେ ଖୁବ ପ୍ରଭାବିତ ହୋଇଥିଲେ । ଏହି ଆଇନ ଆସିବା ଫଳରେ ସମଗ୍ର ଓଡିଶାର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବାକୁ ବସିଲା । ୧୮୦୪ ମସିହାରେ ଖୋରଧା ରାଜା ଏହାର ପ୍ରତିବାଦରେ ବ୍ରିଟିଶ ବିରୁଦ୍ଧରେ ସମସ୍ତ ପ୍ରଜା ମାନଙ୍କୁ ଏକତ୍ରିତ କରିଥିଲେ । ଅନେକ ଦିନ ଧରି ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ ବିରୁଦ୍ଧରେ ଏହି ଆନ୍ଦୋଳନ ଲାଗି ରହିଲା ।  
ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ, ଯିଏକି ଖୋରଧା ରାଜାଙ୍କର ବକ୍ସି ରୂପେ ପରିଚିତ ଥିଲେ । ୧୮୧୪ ମସିହାରେ ବକ୍ସି ଜଗବନ୍ଧୁଙ୍କ ଅଧୀନରେ ଥିବା ସମସ୍ତ ଜାଗିର ଅଞ୍ଚଳକୁ ବ୍ରିଟିଶ ମାନେ ଛଡେଇ ନେଇଥିଲେ । ଖୋରଧାର ଶେଷ ରାଜା ମୁକୁନ୍ଦଦେବ ସର୍ବଦା ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଆସୁଥିଲେ । ବିଭିନ୍ନ ଜନ ଅସନ୍ତୋଷରୁ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ପାଇକ ବିଦ୍ରୋହର ଡାକରା ଦିଆଯାଇଥିଲା । ସାଙ୍ଗେ ସାଙ୍ଗେ ଏହି ଡାକରାର ସପକ୍ଷରେ ସମଗ୍ର ଓଡିଶାର ବିଭିନ୍ନ ଅଞ୍ଚଳର ରାଜା, ଜମିଦାର ଓ ସାଧାରଣ ଜନତା ମାନେ ଏକତ୍ରିତ ହୋଇଥିଲେ । ତାପଙ୍ଗ ଗଡର ଦଳବେହେରା, କନିକା, କୁଜଙ୍ଗ, ନୟାଗଡ ଓ ଘୁମୁସର ଅଞ୍ଚଳର ରାଜାମାନେ ମଧ୍ୟ ଏହି ବିଦ୍ରୋହରେ ଯୋଗଦେଇଥିଲେ । ଯଦୁପୁରର ମୁସଲମାନ ମୁଖିଆ ମୀର ହାଇଦର ଅଲ୍ଲୀ ମଧ୍ୟ ବ୍ରିଟିଶ ମାନଙ୍କ ବିରୁଦ୍ଧରେ ଏହି ବିଦ୍ରୋହରେ ନିଜକୁ ସାମିଲ କରିଥିଲେ ।  ପ୍ରଥମ କରି ବାଣପୁର ଓ ଖୋରଧା ଅଞ୍ଚଳରୁ ହଠାତ ବ୍ରିଟିଶ ସରକାର ବିରୁଦ୍ଧରେ ଅତର୍କିତ ଆକ୍ରମଣ ଆରମ୍ଭ କରାଯାଇଥିଲା । 
ଘୁମୁସର ଅଞ୍ଚଳର ସହସ୍ରାଧିକ କନ୍ଧ ସଂପ୍ରଦାୟର ସୈନ୍ୟ ମାନେ କମ୍ପାନୀ ଶାସନ ବିରୁଦ୍ଧରେ ପ୍ରତିବାଦ କରି ଖୋରଧା ଆସୁଥିବାବେଳେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵାଧୀନ ଥିବା ପାଇକବୀର ମାନେ ସେମାନଙ୍କ ସହ ଯୋଗଦେଇ ବାଣପୁରଠାରେ ଅତର୍କିତ ଆକ୍ରମଣ ପୂର୍ବକ ପୋଲିସ ଥାନା ଓ ଡାକଘରେ ନିଆଁ ଲଗାଇଦେବା ସହ ସରକାରୀ ଅଫିସ ଓ ଘର ଗୁଡିକୁ ଭଙ୍ଗାରୁଜା କରିଦେଇଥିଲେ । ଏହି ଆନ୍ଦୋଳନ ବାଣପୁର ଠାରୁ ଖୋରଧା ପର୍ଯ୍ୟନ୍ତ ଖୁବ ଦ୍ରୁତଗତିରେ ମାଡିଯାଇଥିଲା ।

ପାଇକ ବିଦ୍ରୋହରେ ଅନେକ ପାଇକ ବୀର ମାନେ ମୃତ୍ୟୁବରଣ କରିଥିଲେ । ଯଦିଓ ସଂପୂର୍ଣ୍ଣ ଭାବେ ବ୍ରିଟିଶ ମାନଙ୍କୁ ପ୍ରତିହତ କରିବାରେ ବିଫଳ ହୋଇଥିଲେ, ତଥାପି ବ୍ରିଟିଶ ସରକାରର ମେରୁହାଡ ଭାଙ୍ଗିଯାଇଥିଲା । କମ୍ପାନୀ ସରକାର ଖୁବ ଭୟଭୀତ ହୋଇଯାଇଥିଲେ । ବ୍ରିଟିଶ କମ୍ପାନୀର ହଜାର ହଜାର ସୈନ୍ୟ ଖୋରଧା ତଥା ଓଡିଶାର ବିଭିନ୍ନ ବଣ ପାହାଡ ପ୍ରାନ୍ତରରେ ସେନାଛାଉଣୀ ବିଛାଇ ପଇଁତରା ମାରିବା ସହ ଅନେକ ପାଇକ ବୀରମାନଙ୍କୁ ବନ୍ଦୀ କରି ଜେଲକୁ ପଠାଇଦେଇଥିଲେ । ଏହି ଖୋଜ ସମୟରେ ବ୍ରିଟିଶ ସୈନ୍ୟଙ୍କ ହାତରେ ଶହ ଶହ ଓଡିଆ ପାଇକବୀର ମାନେ ବ୍ରିଟିଶ ଗୋଳା ବାରୁଦକୁ ସମ୍ମୁଖୀନ ହେବାରେ ବିଫଳ ହୋଇ ନିଜର ପ୍ରାଣବଳୀ ଦେଇଥିଲେ ସତ କିନ୍ତୁ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାର ନିକଟରେ ନିଜର ମୁଣ୍ଡ ନୂଆଁଇ ନଥିଲେ । ରାଜା ମୁକୁନ୍ଦଦେବ ବ୍ରିଟିଶ ମାନଙ୍କ ଦ୍ଵାରା ବନ୍ଦୀ ହୋଇ କଟକ ଜେଲରେ ବନ୍ଦୀ ଜୀବନ ଅତିବାହିତ କଲେ । ଅନେକ ପାଇକବୀର ମାନଙ୍କୁ ହତ୍ୟା କରାଯିବା ଫଳରେ ସେମାନଙ୍କ ମୁଖ୍ୟ ସେନାପତି ବକ୍ସି ଜଗବନ୍ଧୁ ଖୁବ ଭାଙ୍ଗିପଡିଥିଲେ । ଏବଂ ବକ୍ସି ଜଗବନ୍ଧୁ ଶେଷରେ ଆତ୍ମସମର୍ପଣ କରି ବନ୍ଦୀ ଜୀବନ ବିତାଇଲେ । 
ଓଡିଶାକୁ ବ୍ରିଟିଶ କମ୍ପାନୀ ନିଜ ପ୍ରତ୍ୟକ୍ଷ ଶାସନ ଅଧିନକୁ ନେଇ ଏହି ବିଦ୍ରୋହର କାରଣ ଜାଣିବା ନିମନ୍ତେ ଜଣେ ସ୍ଵତନ୍ତ୍ର କମିଶନରଙ୍କୁ ନିଯୁକ୍ତି ଦେଲେ । ଏହାପରେ ମଧ୍ୟ ଏହି ବିଦ୍ରୋହର ବହ୍ନି ଲିଭିନଥିଲା ।  ତାପଙ୍ଗ ଓ ବାଣପୁର ଅଞ୍ଚଳରେ ପାଇକବୀର ମାନେ ପୁନର୍ବାର ସକ୍ରିୟ ହୋଇ ଉଠୁଥିଲେ । ୧୮୨୭ ରେ ତାପଙ୍ଗ ଯୁଦ୍ଧ ଓ ୧୮୩୫ ରେ ବାଣପୁର ଅଞ୍ଚଳରେ ମଧ୍ୟ ପୁନର୍ବାର ଏହି ଆନ୍ଦୋଳନର ନିଆଁ କୁହୁଳିବାକୁ ଲାଗିଥିଲା । ଓଡିଶାର ଆଦିବାସୀମାନେ ଦୋରା ବିଷୋୟୀ ଓ ଚକରା ବିଷୋୟୀଙ୍କ ନେତୃତ୍ଵରେ ମଧ୍ୟ ଏହି ବିଦ୍ରୋହରେ ନିଜକୁ ସାମିଲ କରିଥିଲେ । ସମ୍ବଲପୁର ଅଞ୍ଚଳରେ ବୀର ସୁରେନ୍ଦ୍ର ସାଏଙ୍କ ଡାକରାରେ ଓଡିଆ ବୀରମାନେ ବ୍ରିଟିଶ ଅତ୍ୟାଚାର ବିରୁଦ୍ଧରେ ବିଦ୍ରୋହର ଡାକରା ଦେଇଥିଲେ । ଧରଣୀ ନାୟକଙ୍କ ନେତୃତ୍ଵରେ ଭୂୟାଁ ସଂପ୍ରଦାୟର ଆଦିବାସୀ ମାନେ ମଧ୍ୟ ଏହି ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ନିଜକୁ ଏକତ୍ରିତ କରିଥିଲେ । ବ୍ରିଟିଶ ସରକାର ବିରୁଦ୍ଧରେ ସମଗ୍ର ଓଡିଶାରେ ଏହା ଏକ ଜାତୀୟ ଆନ୍ଦୋଳନର ରୂପ ନେଇଥିଲା ।
ବ୍ରିଟିଶ ମାନଙ୍କୁ ବିତାଡିତ କରିବା ନିମନ୍ତେ ସମଗ୍ର ଓଡିଶା ବକ୍ଷରେ ଦୀର୍ଘଦିନ ଧରି ଏହି ବିଦ୍ରୋହ ଲାଗି ରହିଥିଲା । ଯେଉଁ ପ୍ରତିବାଦ ଭାରତବର୍ଷର କୌଣସି ଅଞ୍ଚଳରେ ଏହାପୂର୍ବରୁ ଦେଖିବାକୁ ମିଳିନଥିଲା । ଏହି ଘଟଣାର ଅବ୍ୟବହିତ ୪୦ ବର୍ଷପରେ ରାଣୀ ଲକ୍ଷ୍ମୀବାଇଙ୍କ ନେତୃତ୍ଵରେ ସିପାହୀ ବିଦ୍ରୋହର ଡାକରା ଦିଆଗଲା । ଯାହାକି ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ଭାବେ ପରିଚିତ ହୋଇ ଆସୁଥିଲା । କିନ୍ତୁ ଇତିହାସର ଏହି ଘଟଣାଯେ ଆଜି ପ୍ରମାଣିତ କରିପାରିଛି, ୧୮୧୭ ମସିହାର “ପାଇକବିଦ୍ରୋହ” ହେଉଛି ପ୍ରଥମ ଭାରତୀୟ ସ୍ଵାଧିନତା ସଂଗ୍ରାମ । 
ନିକଟରେ ୨୩ ଅକ୍ଟୋବର ୨୦୧୭ ରେ ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ The 'Paika Bidroha' (Paika rebellion) of 1817 will find a place in the history books as 'the First War of Independence' from the next academic session, HRD minister Prakash Javadekar said on 23rd.Oct.2017 (The Economic Times News) ଇତିହାସର ପ୍ରାମାଣିକ ତଥ୍ୟ ଅନୁଯାୟୀ “୧୮୧୭ ମସିହାରେ ଓଡିଶାର ଗଜପତି ଶାସନ ଅଧୀନରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ  ସଂଗଠିତ ହୋଇଥିବା ପାଇକ ବିଦ୍ରୋହ ହେଉଛି “ପ୍ରଥମ ଭାରତୀୟ ସ୍ଵାଧୀନତା ସଂଗ୍ରାମ” ଯାହାକି ୧୮୫୭ ମସିହାରେ ସଂଗଠିତ ହୋଇଯାଇଥିବା “ସିପାହୀ ବିଦ୍ରୋହ” ର  ୪୦ ବର୍ଷ ପୂର୍ବରୁ ଘଟିଥିଲା” ।


Post a Comment

0 Comments